1 ଯୀଶୁ ତାଙ୍କର ବାର ଜଣ ଶିଷ୍ୟ ମାନଙ୍କୁ ଏହି ସବୁ ଆଜ୍ଞା ଦେଇ ସାରିବା ପରେ, ସେ ସେମାନଙ୍କୁ ଇସ୍ରାଏଲ ର ନାନା ସହର ମାନଙ୍କୁ ପଠାଇଲେ ଆଉ ସେ ନିଜେ ମଧ୍ୟ ସେହି ଅଞ୍ଚଳର ଚାରିଆଡ଼େ ପ୍ରଚାର କରିବାକୁ ଲାଗିଲେ l 2 ବାପ୍ତିଜକ ଯୋହନ ବନ୍ଦୀଶାଳାରେ ଥାଇ ଯେତେବେଳେ ଖ୍ରୀଷ୍ଟଙ୍କର ଅଲୌକିକ ବିବରଣୀମାନ ଶୁଣିଲେ, ସେତେବେଳେ ସେ ଆପଣାର ଶିଷ୍ୟମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଯୀଶୁଙ୍କ ପାଖକୁ ଏହା କହି ପଠାଇଲେ, 3 ତୁମ୍ଭେମାନେ ତାହାଙ୍କୁ ପଚାରିବ, "ଭାବବାଦୀ ମାନେ ଯେଉଁ ଖ୍ରୀଷ୍ଟଙ୍କ ଆଗମନ ବିଷୟରେ କୁହନ୍ତି, ତୁମ୍ଭେ କି ସେହି, ନା ଆଉ କିଏ ଅଛି, ଯାହାଙ୍କୁ ଆମ୍ଭେମାନେ ଅପେକ୍ଷାରେ ରହିବୁ ! 4 ଯୀଶୁ ଯୋହନଙ୍କ ଶିଷ୍ୟମାନଙ୍କୁ ଉତ୍ତର ଦେଲେ," ତୁମ୍ଭେମାନେ ଯୋହନଙ୍କ ପାଖକୁ ବାହୁଡି ଯାଇ ଯାହା ଯାହା ମୋ’ଠାରୁ ଶୁଣିଲ ଆଉ ଦେଖିଲ ସେ ସମସ୍ତ ତାଙ୍କୁ ଜଣାଅ l 5 ଅନ୍ଧମାନେ ମୋ’ଦ୍ୱାରା ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କୁଷ୍ଠ ରୋଗୀମାନେ ସୁସ୍ଥ ହେଇଛନ୍ତି, ବଧିରମାନେ ଶୁଣୁଛନ୍ତି, ମୃତମାନେ ଜୀବନ ପାଇ ଉଠୁଛନ୍ତି ଓ ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାର କରାଯାଉଛି l" 6 ଆଉ ଯୋହନଙ୍କୁ ଏହି ବାର୍ତ୍ତା ଦିଅ, ଯେଉଁମାନେ ମତେ ଅବିଶ୍ୱାସ କରନ୍ତି ନାହିଁ ସେମାନେ ଧନ୍ୟ l 7 ଯୋହନଙ୍କ ଶିଷ୍ୟମାନେ ଚାଲିଗଲା ପରେ, ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟରେ କହିବାକୁ ଲାଗିଲେ, ତୁମ୍ଭେ ମାନେ ଯେତେବେଳେ ଯୋହନଙ୍କ ଦେଖିବାକୁ ମରୁ ପ୍ରାନ୍ତରକୁ ଯାଇଥିଲ, ତାଙ୍କୁ କାହା ପରି ଦେଖିବ ବୋଲି ଆଶା କରିଥିଲ? କ’ଣ ପବନରେ ଦୋହଲୁ ଥିବା ଲମ୍ବା ଲମ୍ବା ନଳ ଘାସକୁ l 8 ନଚେତ୍ ତାଙ୍କୁ ଆଉ କାହା ପରି ଦେଖିବାକୁ ଯାଇଥିଲ? କ’ଣ ରାଜପ୍ରସାଦରେ ରାଜକୀୟ ବସ୍ତ୍ରରେ ପରିହିତ ଜଣକୁ? ଏମାନେ ସମସ୍ତେ ରାଜପ୍ରାସାଦରେ ରୁହନ୍ତି କିନ୍ତୁ ମରୁ ପ୍ରାନ୍ତରେ ନୁହେଁ l 9 ଏଣୁ କରି ତୁମ୍ଭେମାନେ ସତ୍ୟରେ କାହାକୁ ଦେଖିବାକୁ ଯାଇଥିଲ? କ’ଣ ଜଣ ଭାବବାଦୀକୁ? ଅବଶ୍ୟ, ମୁଁ ତୁମ୍ଭମାନଙ୍କୁ କହୁଛି ଯୋହନ ସମସ୍ତ ଭାବବାଦୀମାନଙ୍କଠାରୁ ମହାନ ଅଟନ୍ତି l 10 କାରଣ ଈଶ୍ଵର ଭାବବାଦୀମାନଙ୍କ ଦ୍ଵାରା ଯାହାଙ୍କ ବିଷୟରେ ଧର୍ମ ଶାସ୍ତ୍ରରେ ଉଲ୍ଲେଖ କରି କହିଛନ୍ତି, ଦେଖ, ମୁଁ ମୋର ଅଗ୍ର ଦୂତଙ୍କୁ ପଠାଉଛି, ସେ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭର ପଥ ପ୍ରସ୍ତୁତ କରିବେ l 11 ପ୍ରକୃତରେ, ଯେତେ ମନୁଷ୍ୟ ଏଯାଏଁ ଜନ୍ମ ଗ୍ରହଣ କରିଅଛନ୍ତି ସେମାନଙ୍କ ମଧ୍ୟରୁ କେହିହେଲେ ଡୁବକ ଯୋହନଙ୍କଠାରୁ ମହାନ ନୁହନ୍ତି l ତଥାପି, ସ୍ଵର୍ଗ ରାଜ୍ୟରେ ଯେ ନ୍ୟୁନତମ ସେ ତାଙ୍କଠାରୁ ମହାନ l 12 ଡୁବକ ଯୋହନ ପ୍ରଚାର କରିବା ଓ ଜଳ ଦିକ୍ଷା ସମୟଠାରୁ ଏପର୍ଯ୍ୟନ୍ତ ଲୋକମାନେ ବହୁ ସଂଖ୍ୟାରେ ସ୍ଵର୍ଗ ରାଜ୍ୟ ଆଡକୁ ଆଗ୍ରହ ପୂର୍ବକ ମାଡି ଚାଲୁଛନ୍ତି l 13 ମୁଁ ଯୋହନଙ୍କ ବିଷୟରେ ଯାହା କହୁଅଛି, ତାହା ତୁମ୍ଭେମାନେ ଭାବବାଦୀମାନଙ୍କ ଦ୍ଵାରା ଲିଖିତ ସମସ୍ତ ବ୍ୟବସ୍ଥା ପୁସ୍ତକରେ ପାଠ କରିବାର କାରଣ ବ୍ୟବସ୍ଥା ଯୋହନଙ୍କ ପର୍ଯ୍ୟନ୍ତ ଥିଲା l 14 ତାହା କେବଳ ନୁହେଁ, ମାତ୍ର ଯଦି ତୁମ୍ଭେମାନେ ବୁଝିବାକୁ ଇଚ୍ଛା କର, ତେବେ ମୁଁ କହୁଅଛି, ଯୋହନ ହେଉଛନ୍ତି ଏଲୀୟ, ଯାହାଙ୍କ ଆଗମନ ବିଷୟରେ ଭାବବାଦୀମାନେ କହିଥିଲେ ଯେ ସେ ଭବିଷ୍ୟତରେ ଆସିବେ l 15 ଯଦି ତାହା ଜାଣିବାକୁ ଚାହଁ ତେବେ ମୁଁ ଯାହା କହୁଅଛି ତାହା ଶୁଣ l 16 କିନ୍ତୁ ତୁମ୍ଭେମାନେ ଓ ଅନ୍ୟ ଯେତେ ଲୋକ ବର୍ତ୍ତମାନ ଏହି ଜଗତରେ ବଞ୍ଚିଅଛ ତୁମ୍ଭେମାନେ ହାଟ ବଜାରରେ ଖେଳୁଥିବା ପିଲାମାନଙ୍କ ପରି ଅଟ l ସେମାନଙ୍କ ମଧ୍ୟରୁ କେହି କେହି ନିଜ ସାଙ୍ଗମାନଙ୍କୁ ଡାକି କହନ୍ତି, 17 ଆସ ଆମ୍ଭେମାନେ ତୁମ୍ଭମାନଙ୍କ ଆନନ୍ଦ ପାଇଁ ବଂଶୀ ବଜାଇବା କିନ୍ତୁ ତୁମ୍ଭେମାନେ ନାଚିବା ପାଇଁ ମନା କରୁଛ ! ପୁଣି ଆମ୍ଭେ ଶବ ଯାତ୍ରା ନିମନ୍ତେ ଗୀତ ଗାନ କଲୁ ମାତ୍ର ତୁମ୍ଭେ ବିଳାପ କଲ ନାହିଁ l 18 ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କହୁଅଛି, କାରଣ ତୁମ୍ଭେମାନେ ଯୋହନଙ୍କୁ ଓ ମତେ ଗ୍ରହଣ କରି ନାହଁ l ଯୋହନ ତୁମ୍ଭମାନଙ୍କୁ ପ୍ରଚାର କଲେ ମାତ୍ର ଲୋକେ ଯେପରି ମଦ୍ୟପାନ କରି ଖାଦ୍ୟ ଭୋଜନ କରନ୍ତି, ସେ ସେପରି ଭୋଜନ ପାନ କି ମଦ୍ୟପାନ କଲେ ନାହିଁ; ଆଉ ତୁମ୍ଭେ ମାନେ ତାହାଙ୍କୁ ଅଗ୍ରାହ୍ୟ କରି କହିଲ ସେ ପାଗଳ, ଗୋଟେ ଭୂତାତ୍ମା ଦ୍ଵାରା ପରିଚାଳିତ ବ୍ୟକ୍ତି l 19 ଆଉ ଖ୍ରୀଷ୍ଟ, ଯେ କି ମନୁଷ୍ୟ ପୁତ୍ର ସେ ଯୋହନଙ୍କ ପରି ନ ଥିଲେ l ମୁଁ ତୁମ୍ଭମାନଙ୍କ ସହିତ ସମାନ ଖାଦ୍ୟ ଖାଇଲି, ଦ୍ରାକ୍ଷାରସ ପାନ କଲି ଯେପରି ଅନ୍ୟମାନେ କରନ୍ତି ସେହିପରି କଲି ମାତ୍ର ମତେ ତୁମ୍ଭେମାନେ ଗ୍ରହଣ କଲନାହିଁ, ଆଉ କହିଲ, ଦେଖ ଏହି ଲୋକ ପେଟୁକ, ଅଧିକ ଖାଦ୍ୟ ଭୋଜନ କରୁଅଛି ଓ କରଗ୍ରାହୀ ଓ ପାପୀମାନଙ୍କ ବନ୍ଧୁ ଅଟେ l ମାତ୍ର ତୁମ୍ଭମାନଙ୍କ ପରି ବିଚକ୍ଷଣ ଲୋକମାନେ ନିଜର ସବୁ ଅମଙ୍ଗଳ ଆଚରଣକୁ ଯୁକ୍ତି ସଙ୍ଗତ ବୋଲି ପ୍ରମାଣ କରନ୍ତି l 20 ଏହାପରେ ଯୀଶୁ ଯେଉଁ ଯେଉଁ ନଗରରେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କରିଥିବା ଲୋକମାନେ ଦେଖିଥିଲେ, ସେମାନେ ସେମାନଙ୍କ ପୂର୍ବ ପାପ ପୂର୍ଣ୍ଣ ଜୀବନରୁ ଫେରି ନ ଥିଲେ ସେହି ନଗରଗୁଡିକୁ ଦୋଷାରୋପ କରିବାକୁ ଲାଗିଲେ l 21 ହାୟ, ହାୟ, କୋରାଜିନ୍ ଓ ବେଥ୍ସାଇଦା, ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟ କର୍ମମାନ କଲି ମାତ୍ର ତୁମ୍ଭେମାନେ ନିଜ ନିଜ ପାପ କର୍ମରୁ ନିବୃତ୍ତ ହେଲ ନାହିଁ, ତାହା ଯଦି ଦୁଷ୍ଟ ନଗରୀ ସ୍ଵର ଓ ସୁଦାନରେ କରିଥାନ୍ତି, ତେବେ ସେଠାକାର ଲୋକେ ବହୁ କାଳରୁ ଲଜ୍ଜିତ ଓ ନମ୍ର ହୋଇ ନିଜ ଶରୀରରେ ଅଖା ପିନ୍ଧି ପାଉଁଶରେ ବସି ଅନୁତାପ କରିଥାନ୍ତେ l 22 ଏଣିକି ମୁଁ ତୁମ୍ଭମାନଙ୍କୁ କହୁଛି, ମହାବିଚାର ଦିନରେ ପରମେଶ୍ଵର ସ୍ଵର ଓ ସଦନର ଲୋକମାନଙ୍କୁ ଦଣ୍ଡିତ କରିବେ ମାତ୍ର ସେମାନଙ୍କ ଦଶା ଅପେକ୍ଷା ତୁମ୍ଭମାନଙ୍କ ଦଶା ଅତି ଭୟଙ୍କର ହେବ l 23 ଆହୁରି ମଧ୍ୟ କର୍ଫରନାହୁମ ନିବାସୀ ଲୋକମାନଙ୍କୁ କହୁଅଛି, ତୁମ୍ଭକୁ ଲୋକେ ଉଚ୍ଚ ପ୍ରଶଂସା କରିବାରୁ କି ତୁମ୍ଭେ ସ୍ଵର୍ଗକୁ ଯିବ ବୋଲି ମନେ କରୁଅଛୁ? ଏହା କେବେବି ଘଟିବ ନାହିଁ, ବରଂ ଏହାର ବିପରୀତରେ ଈଶ୍ଵର ତୁମ୍ଭମାନଙ୍କୁ ଦଣ୍ଡ ଦେଇ ମନୁଷ୍ୟର ମରଣ ପରେ ଯେଉଁ ସ୍ଥାନକୁ ଚାଲି ଯାଏ ସେହି ସ୍ଥାନକୁ ଦଣ୍ଡିତ ହେବା ପାଇଁ ଚାଲି ଯିବେ l ଆହୁରି ମୁଁ ତୋ’ଠାରେ ଯେଉଁ ସବୁ ଆଶ୍ଚର୍ଯ୍ୟମାନ କଲି ତାହା ଯେବେ ସଦୋମ ନିବାସୀ ଦୁଷ୍ଟ ଲୋକମାନଙ୍କ ଆଗରେ କରିଥାନ୍ତି, ତାହା ଆଜି ପର୍ଯ୍ୟନ୍ତ ଥାନ୍ତା l 24 ଏଣିକି ମୁଁ ତୁମ୍ଭମାନଙ୍କୁ କହୁଛି, ମହାବିଚାର ଦିନରେ ଈଶ୍ଵର ସଦୋମ ନିବାସୀ ଦୁଷ୍ଟ ଲୋକମାନଙ୍କ ଦଣ୍ଡିତ କରିବେ ସତ ମାତ୍ର ସେମାନଙ୍କ ଦଣ୍ଡ ଅପେକ୍ଷା ତୁମ୍ଭମାନଙ୍କୁ ଅଧିକ ଦଣ୍ଡିତ କରିବେ l 25 ତତ୍ପରେ ଯୀଶୁ ଏପରି ପ୍ରାର୍ଥନା କଲେ, ହେ ପିତା, ତୁମ୍ଭେ ସ୍ଵର୍ଗ ଓ ପୃଥିବୀର ପ୍ରଭୁ ଅଟ, ଯେଉଁମାନେ ଆପଣଙ୍କୁ ଜ୍ଞାନୀ ମନେ କରନ୍ତି ତୁମ୍ଭେ ସେମାନଙ୍କ ନିକଟରେ ଏ ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କରିଛ, ସେଥିପାଇଁ ମୁଁ ତୁମ୍ଭକୁ ଧନ୍ୟବାଦ କରୁଅଛି l 26 ହଁ ପିତା, ତୁମ୍ଭେ ଏହା କରି ଅଛ କାରଣ ଏହା ତୁମ୍ଭ ଦୃଷ୍ଟିରେ ଉତ୍ତମ ଦେଖାଗଲା, ପୁଣି ଯୀଶୁ ଲୋକମାନଙ୍କୁ କହିଲେ, ମୋହର ପିତା ଈଶ୍ଵର, ମତେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି, କେବଳ ପିତା ହିଁ ପ୍ରକୃତରେ ମତେ ଜାଣନ୍ତି ଆଉ ଯେଉଁମାନଙ୍କ ନିକଟରେ ମୁଁ ତାହାଙ୍କୁ ପ୍ରକାଶ କରେ କେବଳ ସେମାନେ ହିଁ ତାହାଙ୍କର ପରିଚୟ ପାଆନ୍ତି । 27 ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ'ବିଷୟ ମୋ’ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ । 28 ହେ ପରିଶ୍ରାନ୍ତ ଓ ଭାର ଗ୍ରସ୍ତ ଲୋକମାନେ ମୋ’ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି l 29 ତୁମ୍ଭେମାନେ ମୋହର ଜୁଆଳି ଆପଣା ଆପଣା ଉପରେ ବହନ କର ଓ ମୋ’ଠାରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ର ଚିତ୍ତ l ଆଉ, ତୁମ୍ଭେମାନେ ନିଜ ନିଜ ଆତ୍ମାରେ ଶାନ୍ତି ଲାଭ କରିବ l 30 ମୋହର ଭାର ହାଲୁକା ଓ ତାହା ତୁମ୍ଭେ ସହଜରେ ବହନ କରିପାରିବ l