1 ସେହି ଦିନ ଯୀଶୁ ଯେଉଁ ଘରେ ଶିକ୍ଷା ଦେଉଥିଲେ, ସେଠାରୁ ବାହାରି ଯାଇ ସେ ଆପଣା ଶିଷ୍ୟମାନଙ୍କ ସହିତ ଗାଲିଲୀ ହ୍ରଦର କୂଳକୁ ଯାଇ ବସିଲେ | 2 ଆଉ ତାହାଙ୍କଠାରୁ ଶିକ୍ଷା ଶୁଣିବା ନିମନ୍ତେ ଅନେକ ଲୋକ ସେଠାରେ ଏକତ୍ରୀତ ହେଲେ, ଆଉ ସେ ଏକ ନୌକାରେ ବସି ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ଲୋକମାନେ ହ୍ରଦ କୂଳରେ ଠିଆ ହୋଇ ତାହାଙ୍କଠାରୁ ଉପଦେଶ ଶୁଣିଲେ | 3 ସେ ସେମାନଙ୍କୁ ଅନେକ ଦୃଷ୍ଟାନ୍ତ ଓ ଗଳ୍ପ କହି ଉପଦେଶମାନ ଦେଇ କହିଲେ, ଶୁଣ, ଜଣେ କୃଷକ ନିଜ କ୍ଷେତ୍ରରେ ବିହନ ବୁଣିବାକୁ ବାହାରିଲା, 4 ସେ ବିହନ ବୁଣୁ ବୁଣୁ ସେଥିରୁ କେତେକ ବିହନ ଯାଇ ରାସ୍ତା କଡରେ ପଡ଼ିଲା, ଆଉ ଚଢେଇମାନେ ଆସି ସେସବୁକୁ ଖାଇଗଲେ | 5 ଆଉ କେତେକ ବିହନ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା, ସେଠାରେ ଅଳ୍ପ ମାଟି ଥିବାରୁ ବିହନ ଗୁଡିକ ଶୀଘ୍ର ଗଜା ହୋଇ ବଡ଼ ହେଲା, 6 ମାତ୍ର ସୂର୍ଯ୍ୟର ପ୍ରଚଣ୍ଡ ଖରାରେ ସେଗୁଡ଼ିକ ଝାଉଁଳି ପଡିଲା, ଓ ଚେର ବେଶି ନ ଥିବାରୁ ଶୁଖି ଗଲା | 7 ଆଉ କେତେକ ବିହନ ଯାଇ କଣ୍ଟା ବୁଦା ମଧ୍ୟରେ ପଡିଲା, ଓ କଣ୍ଟା ବୁଦା ଗୁଡିକ ବଢ଼ି କଅଁଳ ଚାରା ଗୁଡ଼ିକୁ ଚାପି ପକାଇଲା | 8 ମାତ୍ର ଆଉ କେତେକ ବିହନ ଯାଇ ଭଲ ମାଟିରେ ପଢ଼ିଲା, ପୁଣି ବୁଣା ଯାଇଥିବା ବିହନର ତିରିଶ ଗୁଣ, ଷାଠିଏ ଗୁଣ ଓ ଏପରି କି ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା | 9 ଏଣୁ ମୁଁ ତୁମ୍ଭମାନଙ୍କୁ ଯାହା କହିଲି, ତାହା ଯଦି ବୁଝି ପାରୁଛ, ତେବେ ସେଥିପ୍ରତି ଅତି ସାବଧାନ ହୁଅ | 10 କିଛି ସମୟ ପରେ ଯୀଶୁଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ପଚାରିଲେ, ଆପଣ କାହିଁକି ସର୍ବଦା ଦୃଷ୍ଟାନ୍ତ ଓ ଗଳ୍ପ ଦ୍ଵାରା ଲୋକମାନଙ୍କୁ ଶିକ୍ଷା ଦେଉ ଅଛନ୍ତି? 11 ସେ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ଵର ଆପଣା ସ୍ଵର୍ଗ ରାଜ୍ୟର ନିଗୂଢ଼ ବିଷୟ ସବୁ କେବଳ ତୁମ୍ଭମାନଙ୍କୁ ବୁଝିବାକୁ ଦେଇଅଛନ୍ତି, ମାତ୍ର ତାହା ଅନ୍ୟମାନଙ୍କୁ ଦିଆଯାଇ ନାହିଁ | 12 ମୁଁ ଯାହା କହୁଛି ଏହା ଯେଉଁମାନେ ବୁଝି ପାରନ୍ତି, ଈଶ୍ଵର ସେମାନଙ୍କୁ ଆହୁରି ଅଧିକ ବୁଝିବାକୁ ଶକ୍ତି ଦିଅନ୍ତି | କିନ୍ତୁ ଯେ ଯତ୍ନରେ କିଛି ବି ବୁଝି ପାରେ ନାହିଁ, ସେ ଯାହା ଜାଣି ଅଛି, ତାହା ମଧ୍ୟ ସେ ସମ୍ପୂର୍ଣ୍ଣ ଭୁଲି ଯିବ | 13 ଏଥିପାଇଁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ମାଧ୍ୟମରେ କହୁ ଅଛି, ଯଦ୍ଵାରା ଲୋକେ ମୋହର କାର୍ଯ୍ୟ ଦେଖିବେ କିନ୍ତୁ ଏହାର ଅର୍ଥ ବୁଝିବେ ନାହିଁ ଓ ମୋହର କଥା ଶୁଣିବେ, ମାତ୍ର ତହିଁର ପ୍ରକୃତ ଅର୍ଥ ବୁଝିବେ ନାହିଁ | 14 ଏହା ଦ୍ଵାରା ଯିଶାଇୟ ଭାବବାଦୀଙ୍କ ଭବିଷ୍ୟତବାଣୀ ସଫଳ ହେଉଅଛି, ମୁଁ ଯାହା କହୁଅଛି, ତୁମ୍ଭେ ଶୁଣିବ ସତ, ମାତ୍ର ବୁଝିବ ନାହିଁ, ମୋହର କୃତ କର୍ମ ଦେଖିବ ସତ, ମାତ୍ର ଏହାର ଅର୍ଥ ବୁଝିବ ନାହିଁ | 15 ଈଶ୍ୱର ଆହୁରି ମଧ୍ୟ ଯିଶାଇୟଙ୍କୁ କହିଲେ, ସେମାନଙ୍କର ହୃଦୟ ସ୍ଥୂଳ ଓ ଭାରୀ ହୋଇଛି, ସେମାନଙ୍କ କର୍ଣ୍ଣ ଜଡ଼ ହୋଇଛି, ଓ ନିଦ୍ରାରେ ସେମାନଙ୍କ ଚକ୍ଷୁ ମୁଁଦ୍ରିତ ହୋଇଅଛି, ଯାହା ଫଳରେ ସେମାନେ ଦେଖିବେ ନାହିଁ କି ଶୁଣିବେ ନାହିଁ କି ବୁଝିବେ ନାହିଁ ଓ ଈଶ୍ୱରଙ୍କ ପ୍ରତି ମନ ଫେରାଇବେ ନାହିଁ ଏବଂ ସୁସ୍ଥ ହେବା ପାଇଁ ମୋ’ ନିକଟକୁ ଆସିବେ ନାହିଁ | 16 କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ, ମୁଁ ଯାହା ଯାହା କହୁଅଛି, ଓ କରୁଅଛି, ତାହା ବୁଝି ଅନୁଭବ କରିବା ପାଇଁ ଈଶ୍ଵର ତୁମ୍ଭମାନଙ୍କୁ ସକ୍ଷମ କରାଇଅଛନ୍ତି | 17 ମନେରଖ, ତୁମ୍ଭେମାନେ ମୋ’ଠାରେ ଯାହା ଯାହା ଦେଖୁଅଛ ଓ ଶୁଣୁଅଛ, ସେସବୁ ଦେଖିବା ପାଇଁ ଓ ଶୁଣିବା ପାଇଁ ଅନେକ ଭାବବାଦୀ ଓ ଧାର୍ମିକ ବ୍ୟକ୍ତିମାନେ ବର୍ଷ ବର୍ଷ ଧରି ଆଶା କରିଥିଲେ, ମାତ୍ର ସେମାନେ ତାହା ଦେଖି ପାରିଲେ ନାହିଁ କି ଶୁଣି ପାରିଲେ ନାହିଁ | 18 ଏଣୁ ମୁଁ ତୁମ୍ଭମାନଙ୍କୁ କହିଥିବା ଦୃଷ୍ଟାନ୍ତଟିର ଅର୍ଥ ଏବେ ଶୁଣ; 19 ସ୍ଵର୍ଗ ରାଜ୍ୟର ବାର୍ତ୍ତା ଶୁଣି ବୁଝି ନ ପାରିବା ମନୁଷ୍ୟର ହୃଦୟକୁ ବୁଝାଏ, ଶୟତାନ ଆସି ତାହା ହୃଦୟରେ ବୁଣା ଯାଇଥିବା ବିହନ ରୂପ ବାକ୍ୟକୁ ହରଣ କରି ନିଏ | 20 ଆଉ ଅଳ୍ପ ମାଟି ଥିବା ପଥୁରିଆ ଭୂମି ସେହି ମନୁଷ୍ୟର ହୃଦୟକୁ ବୁଝାଏ, ଯିଏ ଈଶ୍ୱରଙ୍କ ବାକ୍ୟକୁ ଶୁଣି ଆନନ୍ଦରେ ଅତି ଶୀଘ୍ର ଗ୍ରହଣ କରେ, 21 ବରଂ ଜୀବନର ଗଭୀରତା ନ ଥିବାରୁ ତାର ମୂଳ ଦୃଢ଼ ନ ଥାଏ, ଓ କିଛି କାଳ ପରେ ତାହାର ଧର୍ମ ବିଶ୍ଵାସ ଯୋଗୁଁ ତାହା ପ୍ରତି ଦୁଃଖ, କଷ୍ଟ ବା ନିର୍ଯାତନା ଆସିଲେ, ତାହାର ଉତ୍ସାହ ଭାଙ୍ଗି ଯାଏ, ବିଶ୍ଵାସରେ ପଛଘୁଞ୍ଚା ହୁଏ | 22 କଣ୍ଟକ ପୂର୍ଣ୍ଣ ଭୂମି ସେହି ମନୁଷ୍ୟର ହୃଦୟକୁ ବୁଝାଏ, ଯିଏ ବାକ୍ୟ ଶୁଣେ କିନ୍ତୁ ସଂସାରର ଧନ ଓ ପ୍ରଲୋଭନ ଈଶ୍ୱରଙ୍କ ବାକ୍ୟକୁ ଚାପି ପକାଏ ଓ ସେ କ୍ରମେ ଫଳହୀନ ହୁଏ | 23 ମାତ୍ର ଉତ୍ତମ ଭୂମି ସେହି ମନୁଷ୍ୟର ହୃଦୟକୁ ବୁଝାଏ, ଯିଏ ବାକ୍ୟ ଶୁଣେ, ବୁଝେ ଓ ସେ ଚାଲିଯାଇ ତିରିଶ, ଷାଠିଏ, ଏପରିକି ଏକ ଶହେ ଜଣଙ୍କୁ ଈଶ୍ୱରଙ୍କ ରାଜ୍ୟକୁ ଆଣି ଈଶ୍ୱରଙ୍କୁ ସନ୍ତୁଷ୍ଟ କରାଏ | 24 ଯୀଶୁ ଲୋକମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ ଓ ଗଳ୍ପ କହିଲେ, ସ୍ଵର୍ଗ ରାଜ୍ୟ ଆପଣା କ୍ଷେତ୍ରରେ ଭଲ ବିହନ ବୁଣିଥିବା ଏକ କୃଷକ ସଦୃଶ | 25 ଦିନେ ତାହାଙ୍କ ଦାସ ମାନେ ଶୋଇ ପଡ଼ି ଥିବା ସମୟରେ ତାହାଙ୍କ ଶତୃ ଆସି ଗହମ ମଧ୍ୟରେ ବାଳୁଙ୍ଗା ବୁଣି ଦେଇ ଚାଲିଗଲା | 26 ଗହମ ଗଛ ବଢ଼ିବା ସଙ୍ଗେ ସଙ୍ଗେ ବାଳୁଙ୍ଗା ଗଛ ମଧ୍ୟ ବଢ଼ିବାକୁ ଲଗିଲା | 27 ମୂଲିଆ ଦାସ ମାନେ ଆସି ସେହି କୃଷକଙ୍କୁ କହିଲେ, ଆଜ୍ଞା, ଆପଣ ଯେଉଁ କ୍ଷେତ୍ରରେ ଅତି ଉତ୍ତମ ଗହମ, ଆମକୁ ବୁଣିବାକୁ ଦେଇଥିଲେ ମଧ୍ୟ ଆମେ ତାହା ବୁଣିଲୁ ମାତ୍ର ସେଥିମଧ୍ୟରେ ବାଳୁଙ୍ଗା ଗଛ ମଧ୍ୟ ଉଠିଛି | 28 କୃଷକ କହିଲେ, କୌଣସି ଶତୃ ଏହା କରିଅଛି, ତହିଁରେ ତାହାର ମୂଲିଆ ମାନେ କହିଲେ, ଆମେ ଯାଇ ବାଳୁଙ୍ଗାଗୁଡିକୁ ଉପାଡି ଦେଉ, ଏହା କ’ଣ ତୁମ୍ଭେ ଚାହୁଁଛ? 29 ସେ ସେମାନଙ୍କୁ କହିଲେ, ନାଁ, ତୁମ୍ଭେମାନେ ତାହା କଲେ ଗହମକୁ କ୍ଷତି ହେବ | 30 ଫସଲ କଟା ନ ହେବା ପର୍ଯ୍ୟନ୍ତ ଉଭୟକୁ ଏକ ସଙ୍ଗେ ବଢିବାକୁ ଦିଅ | ସେତେବେଳେ ଗହମରୁ ବାଳୁଙ୍ଗାଗୁଡିକୁ ଅଲଗା କରି ଜାଳି ଦେବାକୁ ଓ ଶସ୍ୟାଗାରରେ ଗହମ ରଖିବାକୁ ମୁଁ କଟାଳୀମାନଙ୍କୁ ମୁଁ ଆଦେଶ ଦେବି | 31 ଯୀଶୁ ଆଉ ଏକ ଦୃଷ୍ଟାନ୍ତ ସେମାନଙ୍କୁ କହିଲେ, ସ୍ଵର୍ଗ ରାଜ୍ୟ କ୍ଷେତ୍ରରେ ବୁଣା ଯାଇଥିବା କ୍ଷୁଦ୍ର ସୋରିଷ ମଞ୍ଜି ପରି | 32 ସୋରିଷ ମଞ୍ଜି ସବୁ ମଞ୍ଜି ମଧ୍ୟରେ କ୍ଷୁଦ୍ରତମ, କିନ୍ତୁ ଏହା ଯେତେବେଳେ ଧିରେ ଧିରେ ବଢି ବୁଦା ଗଛ ହୁଏ, ଆକାଶର ପକ୍ଷୀମାନେ ଆସି ତହିଁରେ ଆଶ୍ରୟ ନେଇ ଆପଣା ବସା ବାନ୍ଧନ୍ତି | 33 ଯୀଶୁ ସେମାନଙ୍କୁ ଆଉ ଏକ ଦୃଷ୍ଟାନ୍ତ କହିଲେ, ସ୍ଵର୍ଗ ରାଜ୍ୟ ତାଡୀର ସଦୃଶ | ଏହାକୁ ଜଣେ ସ୍ତ୍ରୀ ନେଇ ଚାଳିଶ କିଲୋ ମଇଦାରେ ମିଶାଇଲା ଓ ସବୁ ମଇଦା ତାଡୀମୟ ହେବା ଯାଏ ତାହାକୁ ଘୋଡାଇ ରଖିଲା | 34 ଯୀଶୁ ଲୋକମାନଙ୍କୁ ସର୍ବଦା ଦୃଷ୍ଟାନ୍ତ ଓ ଗଳ୍ପ ଦ୍ଵାରା ଶିକ୍ଷା ଦେଉଥିଲେ, ସେ ଦୃଷ୍ଟାନ୍ତ ଓ ଗଳ୍ପ ବିନା ସେମାନଙ୍କୁ କୌଣସି ଶିକ୍ଷା ଦେଲେ ନାହିଁ | 35 ଏହା ଦ୍ୱାରା ଈଶ୍ୱର ଆପଣା ଭାବବାଦୀ ମାନଙ୍କ ଦ୍ଵାରା କହିଥିବା ଭାବବାଣୀ ସଫଳ ହେଲା, ମୁଁ ଦୃଷ୍ଟାନ୍ତ ଓ ଗଳ୍ପ ଦ୍ଵାରା କଥା କହିବି, ସୃଷ୍ଟି ଆରମ୍ଭରୁ ଥିବା ଗୁପ୍ତ ବିଷୟ ସବୁ ପ୍ରକାଶ କରିବି | 36 ଏଥିଉତ୍ତାରେ ଯୀଶୁ ଲୋକମାନଙ୍କୁ ବାହାରେ ଛାଡି ଘର ଭିତରକୁ ଗଲେ, ସେତେବେଳେ ଶିଷ୍ୟମାନେ ତାଙ୍କୁ ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ ବୁଝାଇ ଦେବାକୁ ଅନୁରୋଧ କଲେ | 37 ତହିଁରେ ସେ କହିଲେ, ଭଲ ବିହନ ବୁଣି ଥିବା କୃଷକ ମୋତେ ଅର୍ଥାତ୍ ମନୁଷ୍ୟ ପୁତ୍ରଙ୍କୁ ବୁଝାଏ | 38 କ୍ଷେତ୍ର ଏହି ଜଗତକୁ ବୁଝାଏ, ଯେଉଁଠାରେ ଲୋକମାନେ ବାସ କରନ୍ତି ଓ ଉତ୍ତମ ବିହନ ଈଶ୍ୱରଙ୍କ ରାଜ୍ୟର ଲୋକମାନଙ୍କୁ ବୁଝାଏ | ବାଳୁଙ୍ଗା ଗଛ ଶୟତାନର ଲୋକମାନଙ୍କୁ ଓ ବାଳୁଙ୍ଗା ବୁଣି ଥିବା ଶତୃ ପାପାତ୍ମାକୁ ବୁଝାଏ | 39 ଫସଲ କାଟିବା ସମୟ ହେଉଛି, ଜଗତର ଅନ୍ତିମ କାଳ ଓ କଟାଳୀମାନେ ହେଉଛନ୍ତି, ସ୍ଵର୍ଗର ଦୂତଗଣ | 40 ବାଳୁଙ୍ଗା ଗୁଡ଼ାକ ଅଲଗା କରି ଯେପରି ପୋଡ଼ି ଦିଆଯାଏ, ଜଗତର ଅନ୍ତିମ କାଳରେ ଠିକ୍ ସେହିପରି ହେବ | 41 ମୁଁ ମନୁଷ୍ୟ ପୁତ୍ର ଖ୍ରୀଷ୍ଟ, ଆପଣା ସ୍ଵର୍ଗ ଦୂତମାନଙ୍କୁ ପଠାଇବି ଏବଂ ସେମାନେ ରାଜ୍ୟରୁ ସମସ୍ତ ପାପର କାରଣ ଓ ଗଳ୍ପ ଅଧାର୍ମିକମାନଙ୍କୁ ପୃଥକ କରିବେ | 42 ଆଉ ସ୍ଵର୍ଗ ଦୂତମାନେ ସେମାନଙ୍କୁ ଅଗ୍ନିକୁଣ୍ଡରେ ନିକ୍ଷିପ୍ତ କରିବେ, ସେଠାରେ କ୍ରନ୍ଦନ ଓ ଦାନ୍ତର କିଡିମିଡି ଓ ଯନ୍ତ୍ରଣାର ସ୍ଥଳ ହେବ | 43 ସେତେବେଳେ ଧାର୍ମିକମାନେ ସେମାନଙ୍କ ସ୍ଵର୍ଗସ୍ଥ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ତୂଲ୍ୟ ଉଜ୍ଜ୍ୱଳ ଦେଖା ଯିବେ | ମୁଁ ଯାହା କହୁଅଛି, ତାହା ଯେବେ ତୁମ୍ଭେମାନେ ବୁଝିବାକୁ ସକ୍ଷମ ତେବେ ଯତ୍ନର ସହିତ ବୁଝ | 44 ସ୍ଵର୍ଗ ରାଜ୍ୟ କ୍ଷେତରେ ପୋତା ଯାଇଥିବା ବହୁମୂଲ୍ୟ ଧନ ସଦୃଶ | ଜଣେ ଲୋକ ସେହି ଧନର ସନ୍ଧାନ ପାଇ ପୁଣିଥରେ ତାହାକୁ ପୋତି ଦେଲା | ସେ ମହାଆନନ୍ଦରେ ଚାଲିଯାଇ ତାହାର ସର୍ବସ୍ୱ ବିକ୍ରୟକରି ତହିଁରେ ସେହି କ୍ଷେତଟିକୁ କିଣି ଗୁପ୍ତ ଧନ ପାଇଲା | 45 ଆହୁରି ମଧ୍ୟ ସ୍ଵର୍ଗ ରାଜ୍ୟ ବହୁମୂଲ୍ୟ ମୁକ୍ତା ଖୋଜୁଥିବା ଜଣେ ମୁକ୍ତା ବ୍ୟବସାୟୀ ସଦୃଶ | 46 ସେ ଏକ ଅତି ମୂଲ୍ୟବାନ ମୁକ୍ତା ଦେଖି ତାହାର ସର୍ବସ୍ୱ ବିକ୍ରୟ କରି ତାହା କିଣିଲା | 47 ପୁନର୍ବାର, ସ୍ଵର୍ଗ ରାଜ୍ୟ ଏକ ଜାଲ ସଦୃଶ | ତାହା ସମୁଦ୍ରରେ ପକାଯାଇ ସମସ୍ତ ପ୍ରକାର ମାଛ ଧରାଗଲା | 48 ଜାଲ ପୂର୍ଣ୍ଣ ହୁଅନ୍ତେ, ମାଛୁଆମାନେ ତାହାକୁ କୂଳକୁ ଟାଣି ଆଣି ଭଲ ମାଛ ସବୁ ଟୋକେଇରେ ରଖିଲେ, ଓ ମନ୍ଦ ମାଛ ସବୁକୁ ପକାଇ ଦେଲେ | 49 ଜଗତରେ ଥିବା ଲୋକମାନଙ୍କର ଅନ୍ତିମକାଳ ଠିକ୍ ସେହିପରି ହେବ | ସ୍ଵର୍ଗଦୂତମାନେ ଆସି ଧାର୍ମିକମାନଙ୍କଠାରୁ ଅଧାର୍ମିକମାନଙ୍କୁ ଅଲଗା କରିବେ | 50 ସେମାନେ ଅଧାର୍ମିକମାନଙ୍କୁ ଅଗ୍ନିରେ ନିକ୍ଷେପ କରିବେ | ସେଠାରେ ସେମାନେ କ୍ରନ୍ଦନ କରିବେ, ଓ ଦାନ୍ତର କିଡିମିଡିର ମହା ଯନ୍ତ୍ରଣା ଭୋଗ କରିବେ | 51 ଏହା ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ସବୁ ଦୃଷ୍ଟାନ୍ତ ଓ ଗଳ୍ପ କହିଲି, ତୁମ୍ଭେମାନେ କି ତାହା ବୁଝି ପାରିଲା? ସେମାନେ ତାଙ୍କୁ କହିଲେ, ହଁ ଆମ୍ଭେମାନେ ବୁଝିଲୁ | 52 ସେ ଅହୁରି ମଧ୍ୟ କହିଲେ, ଯେଉଁ ଶାସ୍ତ୍ରଜ୍ଞମାନେ ମୋର ଶିଷ୍ୟ ହୋଇଅଛନ୍ତି, ସେମାନେ ଜଣେ ଗୃହସ୍ଥ ତୁଲ୍ୟ ଯେ କି ଅପଣାର ଭଣ୍ଡାରରୁ ପୁରାତନ ଓ ନୂତନ ଉଭୟ ପ୍ରକାରର ଧନ ବାହାର କରେ | 53 ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ଓ ଗଳ୍ପ କହି ସରିବା ପରେ, ଆପଣା ଶିଷ୍ୟମାନଙ୍କୁ ନେଇ ସେହି ଅଞ୍ଚଳକୁ ପରିତ୍ୟାଗ କଲେ | 54 ପରେ ସେମାନେ ଯୀଶୁଙ୍କ ନିଜ ଗ୍ରାମ ନାଜରୀତକୁ ବାହୁଡି ଆସି ଏକ ବିଶ୍ରାମବାରରେ ଉପାସନାଳୟରେ ଉପଦେଶ ଦେଲେ | ଆଉ ସେଠାସ୍ଥିତ ସମସ୍ତେ ତାହାଙ୍କ ଉପଦେଶମାନ ଶୁଣି ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖି ଅତି ଚମତ୍କୃତ ହେଲେ, ପୁଣି କେହି କେହି କହିବାକୁ ଲାଗିଲେ, ଏ ତ ଆମ୍ଭମାନଙ୍କ ପରି ଜଣେ ସାଧାରଣ ଲୋକ, ଆମମାନଙ୍କଠାରୁ ସେ କିପରି ଅଧିକ ଯାଇଅଛି, ଓ ସେ ଅନେକ ବିଷୟରେ ବିଜ୍ଞ ଅଟେ, ଏହା କିପରି ସମ୍ଭବ ହୋଇପାରେ? 55 ଏ ତ ଜଣେ ବଢ଼େଇର ପୁଅ, ତାହାର ମାଁ ହେଉଛି ମରିୟମ ଓ ତାହାର ଭାଇମାନେ ହେଲେ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା | 56 ଏବଂ ଏହାର ଭଉଣୀମାନେ ତ ଆମମାନଙ୍କର ଗ୍ରାମରେ ବାସ କରୁଅଛନ୍ତି; ତେବେ ସେ କିପରି ଏତେ ମହାନ ହୋଇ ଅତି ଆଶ୍ଚର୍ଯ୍ୟ କର୍ମମାନ କରି ଅଧିକାରର ସହିତ ଶିକ୍ଷା ଦେଇପାରୁଛି | 57 ଆଉ ଲୋକମାନେ ଯୀଶୁଙ୍କର ଏହି ଅଧିକାରକୁ ଗ୍ରହଣ କରିବା ପାଇଁ ପସନ୍ଦ କଲେ ନାହିଁ | ଏଣୁ ଯୀଶୁ ସେମାନଙ୍କୁ କହିଲେ, ଅନ୍ୟ ସମସ୍ତ ସ୍ଥାନମାନଙ୍କରେ ଲୋକେ ମୋତେ ଓ ଅନ୍ୟ ଭାବବାଦୀମାନଙ୍କୁ ସମ୍ମାନ ପ୍ରଦାନ କରନ୍ତି ମାତ୍ର ନିଜସ୍ୱ ଲୋକମାନେ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ | 58 ଏଣୁ ସେମାନଙ୍କ ଅବିଶ୍ୱାସ ହେତୁରୁ ସେଠାରେ ବିଶେଷ କିଛି ଅଲୌକିକ କାର୍ଯ୍ୟ କଲେ ନାହିଁ |