1 ଯୀଶୁ ପର୍ବତରୁ ଓହ୍ଲାଇ ଆସିବା ପରେ, ବହୁ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, 2 ଲୋକମାନଙ୍କୁ ପରିତ୍ୟାଗ କଲା ପରେ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି ଯୀଶୁଙ୍କ ବିନତୀ କରି କହିଲା, ହେ ପ୍ରଭୁ, ଯଦି ଇଚ୍ଛା କରନ୍ତି , ତେବେ ମତେ ସୁସ୍ଥ କରନ୍ତୁ କାରଣ ମୁଁ ଜାଣେ ତୁମ୍ଭେ ମତେ ସୁସ୍ଥ କରିବାକୁ ସକ୍ଷମ ଅଟ, 3 ତହିଁରେ ଯୀଶୁ ଆପଣା ହାତ ବଢାଇ ତାହାକୁ ଛୁଇଁକି କହିଲେ, ମୁଁ ଚାହୁଁ ଅଛି ତୁମ୍ଭେ ସୁସ୍ଥ ହୁଅ ଓ ମୁଁ ତୁମ୍ଭକୁ ସୁସ୍ଥ କରୁଅଛି, ସେହି କ୍ଷଣି ସେହି ଲୋକଟି ତାର ରୋଗରୁ ସୁସ୍ଥ ହେଲା I 4 ଆଉ ଯୀଶୁ ତାହାକୁ କହିଲେ ମୁଁ ଯେ ତୁମ୍ଭକୁ ସୁସ୍ଥ କରିଅଛି ଏହା ବାହାରେ ଯାଇ କାହାରିକୁ ନ କହି ସିଧା ଯାଜକଙ୍କ ପାଖକୁ ଯାଅ I ପରେ ଯିରୁଶାଲମ ମନ୍ଦିରକୁ ଯାଇ ଲୋକମାନେ ଯେପରି ଜାଣିବେ ଏଥିପାଇଁ ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର I 5 ପରେ ସେମାନେ ଆସି କଫର୍ନହୁମରେ ଆସି ପହଞ୍ଚିବ I ସେତେବେଳେ ଜଣେ ଶତ ସେନାପତି ତାହାଙ୍କ ନିକଟକୁ ଆସି ଯୀଶୁ ଯେପରି ତାହାକୁ ସାହାଯ୍ୟ କରିବେ ଏଥିପାଇଁ ଅନୁରୋଧ କରିବାକୁ ଲାଗିଲେ I 6 ସେ ତାହାକୁ କହିବାକୁ ଲାଗିଲେ ପ୍ରଭୁ ମୋର ଜଣେ ଦାସ ପକ୍ଷାଘାତ ରୋଗରେ ପଡି ଅନେକ କଷ୍ଟ ପାଉଛି I 7 ଯୀଶୁ ତାହାକୁ କହିଲେ, ମୁଁ ତୁମ୍ଭ ଗୃହକୁ ଯାଇ ତାହାକୁ ସୁସ୍ଥ କରିବି, 8 କିନ୍ତୁ ଶତ ସେନାପତି ତାହାଙ୍କ କହିଲେ, ତୁମ୍ଭେ ଯେ ମୋ’ ଗୃହକୁ ଆସିବ, ଏପରି ଯୋଗ୍ୟତା ମୋର ନାହିଁ, ବରଂ ଏଠାରେ ଥାଇ ପଡେ ଆଜ୍ଞା କରନ୍ତୁ ଆଉ ମୋହର ଦାସ ସମ୍ପୂର୍ଣ ସୁସ୍ଥ ହେଇଯିବ I 9 ମୋ’ ପକ୍ଷରେ ଏହା ସମାନ ଅଟେ କାରଣ ମୁଁ ଜଣେ ସୈନିକ I ମୁଁ ମୋହର ଉଚ୍ଚ କର୍ମଚାରୀମାନଙ୍କ ଆଜ୍ଞା ଅଧିନ ଅଟେ ଏବଂ ମୁଁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆସ କହି ଡାକିଲେ ସେ ଆସନ୍ତି ଓ ଯାଅ ବୋଲି କହିଲେ ଯାଆନ୍ତି I ମୁଁ ମୋର ଦାସକୁ ଏହା କର ବୋଲି କହିଲେ ସେ ତାହା କରେ I 10 ଯୀଶୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ ତାହାଙ୍କ ସଙ୍ଗରେ ଆସୁଥିବା ବହୁ ସଂଖ୍ୟକ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ଏହା ଶୁଣ, ମୋ’ଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏହି ଅଣଯିହୁଦୀ ଲୋକର ବିଶ୍ଵାସ ପରି ବିଶ୍ଵାସ କାହାରିଠାରେ ମୁଁ ଆଗରୁ ଦେଖି ନାହିଁ, ଏପରିକି ଇସ୍ରାଏଲ୍ ମଧ୍ୟରେ ସୁଦ୍ଧା I ଯେତେବେଳେ ଲୋକମାନେ ବିଶ୍ଵାସ କରନ୍ତୁ ବୋଲି ମୁଁ ଆଶା କରେ I ମୋ’ଠାରେ ବିଶ୍ଵାସ କରୁଥିବା କାହାରିଠାରେ ଏପରି ପାଇ ପାରିନି ? 11 ଆଉ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଆନେକ ଅଣଯିହୁଦୀ ଲୋକମାନେ ଆସି ମୋ’ଠାରେ ବିଶ୍ଵାସ କରିବେ, ସେମାନେ ଅନେକ ଦେଶ ବିଦେଶରୁ ଆସିବେ I ସେମାନେ ପୂର୍ବରୁ ଓ ପଶ୍ଚିମରୁ ଆସି ଅବ୍ରାହମ, ଇସ୍ହାକ ଓ ଯାକୁବଙ୍କ ସହ ମିଶି ଭୋଜନରେ ବସିବେ l ସେତେବେଳେ ଈଶ୍ଵର ସ୍ଵର୍ଗରୁ ଥାଇ ସମସ୍ତ ବିଷୟକୁ ସମ୍ପନ୍ନ କରିବେ l 12 ଅଥଚ, ଯେଉଁ ଇଶ୍ରାଏଲୀୟମାନଙ୍କ ନିମନ୍ତେ ରାଜ୍ୟ ପ୍ରସ୍ତୁତ ହୋଇଥିଲା, ସେମାନଙ୍କ ମଧ୍ୟରୁ ଅନେକେ ବାହାର ଅନ୍ଧକାରରେ ପକାଯିବେ l ଯେଉଁଠାରେ ସମ୍ପୂର୍ଣ୍ଣ ଅନ୍ଧକାର, ସେଠାରେ ସେମାନେ କ୍ରନ୍ଦନ କରିବେ, କାରଣ ସେମାନଙ୍କ ଦୁଃଖଭୋଗ ଓ ଦନ୍ତର କିଡିମିଡି ହେବ, କାରଣ ସେମାନେ ଅନନ୍ତ ଯନ୍ତ୍ରଣା ଭୋଗ କରିବେ l 13 ତହିଁରେ ଯୀଶୁ ଶତ ସେନାପତିକୁ କହିଲେ, ଘରକୁ ଫେରିଯାଅ, ତୁମ୍ଭେ ଯେପରି ବିଶ୍ଵାସ କରିଅଛ, ତୁମ୍ଭ ପ୍ରତି ସେହିପରି ଘଟିଅଛି l ତହିଁରେ ଶତ ସେନାପତି ଆପଣା ଘରକୁ ଫେରିଗଲେ ଏବଂ ଯାଉ ଯାଉ ଜାଣିବାକୁ ପାରିଲେ ଯେ, ତାହାଙ୍କ ଦାସ ସୁସ୍ଥ ହୋଇଅଛି ବୋଲି ଯୀଶୁ ଯେଉଁ ସମୟରେ କହିଥିଲେ, ଠିକ୍ ସେହି ସମୟରେ, ତାହାଙ୍କ ଦାସଟି ସୁସ୍ଥ ହୋଇଅଛି l 14 ପରେ ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକ ପିତରଙ୍କ ଗୃହକୁ ଗଲେ, ସେତେବେଳେ ପିତରଙ୍କ ଶାଶୁ ଜ୍ଜରରେ ପୀଡିତ ହୋଇ ଶଯ୍ୟାରେ ପଡି ରହିଥିବା ଯୀଶୁ ଦେଖିଲେ l 15 ଯୀଶୁ ପିତରଙ୍କ ଶାଶୁଙ୍କ ପାଖକୁ ଯାଇ ତାହାକୁ ସ୍ପର୍ଶ କରନ୍ତେ ସଙ୍ଗେ ସଙ୍ଗେ ସେ ଜ୍ଜରରୁ ସୁସ୍ଥତା ପାଇ ଉଠି ତାହାଙ୍କ ସେବା କରୁ କରୁ ଖାଦ୍ୟ ପ୍ରସ୍ତୁତ କଲେ l 16 ସେ ଦିନ ବିଶ୍ରାମବାର ଥିଲା, ସେହିଦିନ ସନ୍ଧ୍ୟା ସମୟରେ ଲୋକମାନେ କେତେକ ଭୁତାତ୍ମାବିଷ୍ଟ ଲୋକଙ୍କୁ ଓ ଅନେକ ପୀଡିତ ଲୋକଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ l ଆଉ ଯୀଶୁଙ୍କ କଥାରେ ଭୁତାତ୍ମାମାନେ ପଳାଇଲେ, ଏବଂ ରୋଗୀମାନେ ସୁସ୍ଥ ହେଲେ l 17 ଯେତେବେଳେ ସେ ଏହି ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ କଲେ, ସେତେବେଳେ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ଉକ୍ତ ବାକ୍ୟ ସଫଳ ହେଲା, "ସେ ଆମ୍ଭମାନଙ୍କ ଯାତନା ସବୁ ଦୂର କଲେ, ଓ ତାହାଙ୍କ ପ୍ରହାରରେ ଆମ୍ଭମାନଙ୍କ ବ୍ୟାଧି ସବୁ ବୋହି ନେଲେ l" 18 ପରେ ଲୋକ ଗହଳି ଅଧିକ ହେବାରୁ ଗୋଟିଏ ନୌକାରେ ତାଙ୍କୁ ହ୍ରଦର ଆରପାରିକି ନେଇ ଯିବା ପାଇଁ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, 19 ଯେତେବେଳେ ସେମାନେ ନୌକାରେ ବସିବାକୁ ଯାଉଥିଲେ, ସେତେବେଳେ ଯିହୁଦୀମାନଙ୍କର ଜଣେ ଗୁରୁ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେଉଁ ଯେଉଁ ସ୍ଥାନକୁ ଯିବେ, ମୁଁ ମଧ୍ୟ ଆପଣଙ୍କ ସହିତ ସେଠାକୁ ଯିବି l 20 ଯୀଶୁ ତାହାକୁ କହିଲେ, ବିଲୁଆମାନଙ୍କର ରହିବା ପାଇଁ ଗାତ ଅଛି, ଆକାଶର ପକ୍ଷୀମାନଙ୍କର ବସା ଅଛି, ମାତ୍ର ମୁଁ ମନୁଷ୍ୟପୁତ୍ରଙ୍କର, ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ସ୍ଥାନ ନାହିଁ l 21 ପୁଣି ଯୀଶୁଙ୍କର ଅନ୍ୟ ଜଣେ ଶିଷ୍ୟ ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ମୋତେ ମୋ’ ଘରକୁ ଯିବାକୁ ଅନୁମତି ଦିଅନ୍ତୁ, ମୋର ପିତାଙ୍କ ମୃତ୍ୟୁ ଅନ୍ତେ ହୋଇଛି ତାହାଙ୍କୁ କବର ଦେଇ ଆପଣଙ୍କର ଅନୁଗାମୀ ହେବି l 22 କିନ୍ତୁ ଯୀଶୁ ତାହାଙ୍କୁ ଉତ୍ତର ଦେଲେ," ମୃତ ଲୋକମାନଙ୍କୁ ମୃତ ଲୋକମାନଙ୍କ କଥା ବୁଝିବା ନିମନ୍ତେ ଛାଡି ଦିଅ, ମାତ୍ର ତୁମ୍ଭେ ବର୍ତ୍ତମାନ ହିଁ ମୋର ଅନୁଗାମୀ ହୁଅ l" 23 ଏହାପରେ ସେ ନୌକାରେ ଚଢି ଆପଣା ଶିଷ୍ୟମାନଙ୍କ ସହ ହ୍ରଦର ଆରପାରିକି ଯିବାକୁ ବାହାରିଗଲେ l 24 ହଠାତ୍ ଭୟଙ୍କର ଝଡ ଉଠିଲା, ଓ ବଡ଼ ବଡ଼ ଲହଡିରେ ନୌକାଟି ପାଣିରେ ପୁର୍ଣ୍ଣ ହେବାକୁ ଲାଗିଲା l କିନ୍ତୁ ଯୀଶୁ ନିଦରେ ଶୋଇ ପଡିଥିଲେ l 25 ଶିଷ୍ୟମାନେ ତାଙ୍କୁ ନିଦରୁ ଉଠାଇ ଚିତ୍କାର କରି କହିଲେ,"ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କରନ୍ତୁ, ଆମ୍ଭେମାନେ ବୁଡି ଯାଉଅଛୁ l" 26 ମାତ୍ର, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, "ତୁମ୍ଭେମାନେ କାହିଁକି ଏତେ ଭୟ କରୁଅଛ, ମୁଁ ଯେ ତୁମ୍ଭକୁ ରକ୍ଷା କରି ପାରେ, ଏଥିରେ କ’ଣ ତୁମ୍ଭମାନଙ୍କର ବିଶ୍ଵାସ ନାହିଁ ? ତତ୍ପରେ ସେ ଠିଆ ହୋଇ ଝଡ ପବନ ଓ ଢେଉକୁ ଧମକ ଦେଲେ, ଏବଂ ଝଡ ବତାସ ବନ୍ଦ ହୋଇ ସବୁ ଶାନ୍ତ ପଡିଗଲା l 27 ଏହା ଦେଖି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର କୁହାକୁହି ହେଲେ, " ଏହି ଲୋକଟି ସତରେ ଜଣେ ଅସାଧାରଣ ବ୍ୟକ୍ତି ଅଟନ୍ତି, ସମସ୍ତ ବିଷୟ ଏହାଙ୍କ ନିୟତ୍ରଣାଧିନ, ଏପରିକି, ପବନ ଓ ସମୁଦ୍ର ସୁଦ୍ଧା ଏହାଙ୍କ କଥା ମାନନ୍ତି l" 28 ପରେ ସେମାନେ ହ୍ରଦର ଅପର ପାର୍ଶ୍ୱରେ ଗାଦରୀୟମାନଙ୍କ ଅଂଚଳରେ ପହଁଞ୍ଚିଲା ପରେ, ଦୁଇ ଜଣ ଭୂତଗ୍ରସ୍ଥ ଲୋକ ଆସି ତାଙ୍କୁ ଭେଟିଲେ, ସେମାନେ କବର ସ୍ଥାନରେ ରହୁଥିଲେ, ଏବଂ ଏଡେ ଭୟଙ୍କର ଥିଲେ ଯେ ସେହି ବାଟ ଦେଇ କେହି ଯାଇ ପାରୁ ନ ଥିଲେ l 29 ସେମାନେ ଚିତ୍କାର କରି ଯୀଶୁଙ୍କୁ କହିଲେ, ହେ ଈଶ୍ୱରଙ୍କ ପୁତ୍ର, ଆମ୍ଭମାନଙ୍କ ସହିତ ତୁମ୍ଭର କ'ଣ ଅଛି ? ଈଶ୍ୱରଙ୍କର ନିରୁପିତ ସମୟ ପୂର୍ବରୁ ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବାପାଇଁ କ'ଣ ତୁମ୍ଭେ ଏଠାକୁ ଆସିଅଛ? 30 ସେଠାରୁ ଅଳ୍ପ ଦୂରରେ ବହୁ ସଂଖ୍ୟକ ଏକ ଘୁଷୁରୀ ପଲ ଚରୁଥିଲେ l 31 ଏଣୁ ଭୁତାତ୍ମାମାନେ ବିନତି କରି କହିଲେ, "ତୁମ୍ଭେ ଯଦି ଆମ୍ଭମାନଙ୍କୁ ବାହାର କରିଦେବ, ତେବେ ଆମ୍ଭମାନଙ୍କୁ ସେହି ଘୁଷୁରୀ ପଲ ମଧ୍ୟକୁ ପଠାଇ ଦିଅ l" 32 ଯୀଶୁ ସେମାନଙ୍କୁ କହିଲେ, "ଯଦି ତାହା ତୁମ୍ଭେମାନେ ଚାହୁଁଅଛ, ଯାଅ l " ଆଉ ସେହି ଭୁତାତ୍ମାମାନେ ସେହି ଲୋକମାନଙ୍କ ମଧ୍ୟରୁ ବାହାରି ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ l ଆଉ ଅକସ୍ମାତ୍ ପାହାଡର ଶିଖରରୁ ପଲ ଘୁଷୁରୀ ଅତି ବେଗରେ ଦୌଡି ଯାଇ ପାଣିରେ ପଡି ବୁଡି ମଲେ l 33 ସେଥିରେ ଘୁଷୁରୀ ଜଗୁଆଳମାନେ ଅତ୍ୟନ୍ତ ଭୟଭୀତ ହୋଇ ଦୌଡି ପଳାଇ ଗଲେ ଓ ନିକଟସ୍ଥ ସହରକୁ ଯାଇ ଦେଖିଥିବା ସମସ୍ତ ଘଟଣା ଜଣାଇଲେ, ଆଉ ଭୁତାତ୍ମାବିଶିଷ୍ଟ ଲୋକମାନଙ୍କ ପ୍ରତି ଘଟିଥିବା ସମସ୍ତ ବିବରଣୀ ମଧ୍ୟ ଜଣାଇଲେ l 34 ଆଉ ସେହି ସହରର ଲୋକମାନେ ଯୀଶୁଙ୍କୁ ଦେଖିବା ପାଇଁ ଦୌଡି ଆସିଲେ l ଯେତେବେଳେ ସେମାନେ ତାହାଙ୍କୁ ଓ ଭୂତତ୍ମାବିଶିଷ୍ଟ ଲୋକମାନଙ୍କୁ ଦେଖିଲେ, ସେମାନେ ଯୀଶୁଙ୍କୁ ସେମାନଙ୍କ ଅଞ୍ଚଳ ଛାଡ଼ି ଚାଲି ଯିବାକୁ ଅନୁରୋଧ କଲେ l